ନଦୀକୁ ଶୌଚପାଇଁ ଯାଇଥିବା ମହିଳାଙ୍କୁ କୁମ୍ଭୀର ଝାମ୍ପି ନେଇ ଖାଇଦେଲା । ଲୋକେ ଆତଙ୍କିତ ।

SPECIAL STORY ରାଜ୍ୟ
Spread the love

ବରୀ ତା ୧୬/୮ ( ଯାଜପୁର ଏକ୍ସପ୍ରେସ ) ଯାଜପୁର ଜିଲ୍ଲା ବରୀ ବ୍ଳକ ଅନ୍ତର୍ଗତ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଜଣେ ମହିଳାଙ୍କୁ ଝାମ୍ପିନେଇ କୁମ୍ଭୀର ଖାଇଦେଲା। ସୂଚନାନୁସାରେ ପାଲଟ ପୁର ଗ୍ରାମର ଅନାମ ଚରଣ ଜେନାଙ୍କ ସ୍ବୀ ଜ୍ୟୋସ୍ନାରାଣୀ ଜେନା(୪୦) ଆଜି ସକାଳୁ ବୀରୁପା ନଦୀରେ ଶୌଚହେବାକୁ ଯାଇଥିବାବେଳେ କୁମ୍ଭୀର ଝାମ୍ପି ନେଇ ନଦୀ ଗର୍ଭକୁ ଚାଲି ଯାଇଥିଲା। ମହିଳାର ଚିତ୍କାର ଶୁଣି ଗ୍ରାମବାସୀ ନଦୀ କୂଳରେ ରୁଣ୍ଡ ହୋଇଥିଲେ। ନଦୀରେ ମହିଳା ଜଣଙ୍କୁ କୁମ୍ଭୀର ଛିଞ୍ଚାଡି ଛିଞ୍ଚାଡି ଖାଉଥିବା ଦୃଶ୍ୟ ଲୋକମାନେ ଦେଖୁଥିଲେ କିନ୍ତୁ ନଦୀକୁ ଯାଇ ମହିଳାଙ୍କୁ ଉଦ୍ଧାର କରିବାକୁ କାହାରି ସାହସ ପାଉ ନଥିଲା।

ଖବର ପାଇ ବରୀ ଅଗ୍ନିସମ ବାହୀନି ଘଟଣା ସ୍ଥଳରେ ପହଂଚି ଥିଲେ। ବୋଟିଙ୍ଗ ମାଧ୍ୟମରେ ନଦୀକୁ ଯିବାରୁ କୁମ୍ଭୀରଟି ମହିଳାକୁ ଛାଡି ପକାଇ ଯାଇଥିଲା। ଅଗ୍ନିସମ ବାହିନୀ ଜ୍ୟୋସ୍ନାରାଣୀ ଙ୍କ ଅଧା ଶରୀରକୁ ଉଦ୍ଧାର କରି ନଦୀ କୂଳକୁ ଆଣିଥିଲେ । ବରୀରେ ବିଭିନ୍ନ ନଦୀରେ କୁମ୍ଭୀର ଆତଙ୍କ କରୁଥିବା ବେଳେ ଆଜକୁ କିଛି ଦିନ ତଳେ ଅନ୍ୟାସୀପୁର ଠାରେ ବ୍ରାହ୍ମଣୀ ନଦୀରେ ଏକ ଗାଈକୁ କୁମ୍ଭୀର ଝାମ୍ପ ମାରିଥିବା ବେଳେ ଗାଇଟି ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲା। ଆଜି କୁମ୍ଭୀର ଜଣେ ମହିଳାକୁ ଝାମ୍ପି ନେଇ ଝୁଣି ଝୁଣି ଖାଉଥିବାର ଦୃଶ୍ୟ ଦେଖି ଲୋକମାନେ ଆତଙ୍କିତ ହୋଇଯାଇଛନ୍ତି। ବନ ବିଭାଗର ଖାମ ଖିଆଲ ଓ ଦାୟୁତ ହୀନତା ପାଇଁ ଆଜି ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ବରୀ ପୋଲିସ ପହଂଚି ଉଦ୍ଧାର ହୋଇଥିବା ଅର୍ଦ୍ଧ ଶରୀରକୁ ଜବତ କରି ୨୧/୨୩ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ବିଭିନ୍ନ ବୈଦୁତିକ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବନ ବିଭାଗ ଡ଼ାକବାଜି ଯନ୍ତ୍ର ଦ୍ୱାରା ଅମଠପୁର ପଂଚାୟତ ବାସୀଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଛି।

ଖବର ପାଇ ବରୀ ବିଧାୟିକା ସୁନନ୍ଦା ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସରକାରୀ ସ୍ତରରେ ଯାହା ସମ୍ଭବ ତାହା କରିବି ବୋଲି କହିଥିଲେ। ବରୀ ତହସିଲଦାର ତିଲୋତ୍ତମା ପୃଷ୍ଟି ପହଂଚି ଥିଲେ। ବନ ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କା ମୃତକ ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି।ପାରମ୍ଭିକ ଭାବେ ମୃତକଙ୍କ ସ୍ୱାମୀ ଅନାମ ଜେନାଙ୍କ ନାମରେ ୬୦ ହଜାର ଟଙ୍କାର ଚେକ ବରୀ ତହସିଲଦାର ଜରିଆରେ ପ୍ରଦାନ କରାଯାଇଥିବା ବୈରି ବନ ବିଭାଗ ଅଧିକାରୀ ଅଭିରାମ ଜେନା ସୂଚନା ଦେଉଛନ୍ତି। ବାକି ଅର୍ଥ ରାଶି ସରକାରୀ ନଥି ପତ୍ର ଦାଖଲ ପରେ ପ୍ରଦାନ କରାଯିବ କହିଛନ୍ତି । ରିପୋର୍ଟ ବରୀବ୍ଲକ ପ୍ରତିନିଧି ଅଜୟ କୁମାର ସାମଲ ।

Leave a Reply

Your email address will not be published. Required fields are marked *